ସର୍ବପ୍ରଥମ, ସର୍ବସ୍ଵତନ୍ତ୍ର ତଥା ସର୍ବୋତ୍କୃଷ୍ଟ ଉତ୍କଳ ସନ୍ତାନ ର ମାତୃ ଆରାଧନା ଯେ ଆମ୍ଭ ଲେଖନୀ ର ବର୍ଣ୍ଣନାତିତ ତାହା ସ୍ଵତଃସିଦ୍ଧ। ସେଥିରେ ସନ୍ଦେହ ମହାପାପ। ମାତୃଭକ୍ତି ରେ ବିଲୀନ କଳିଙ୍ଗ ଜାତି ର ବାର୍ତ୍ତାବହ ସ୍ୱରୂପ ତା ବକ୍ଷରେ ସ୍ଥାପିତ ଦୁଇଗୋଟି ଆଦି ଶକ୍ତି ପୀଠ ତଥା ଅନ୍ୟାନ୍ୟ ଦ୍ଵାଦଶ ଉତ୍କଳୀୟ ଶକ୍ତି ପୀଠ ଚିରକାଳ ରୁ ନିଜସ୍ଵ ସ୍ୱତନ୍ତ୍ର ଉପାସନା ନିମନ୍ତେ ସିଦ୍ଧ। ଯେଉଁ ଜାତି ର ନା, ତାର ଭାଷା, ସେ ଭାଷାର ପ୍ରଥମ ରଚନା ମାତୃକୃପା ବଳରେ ସିଦ୍ଧ ତାହା ଉତ୍କଳ। ଏହି କ୍ଷୁଦ୍ର ଭକ୍ତିପୂତ ଲେଖନୀ ଚଳଚଞ୍ଚଳ ହୋଇ ସେହି ମାତୃଭକ୍ତି ପୂର୍ଣ୍ଣ ଶକ୍ତି ଆରାଧନା ର ଏକ ଭିନ୍ନ ଦୃଷ୍ଟାନ୍ତ ର ଆଲୋଚନା ନିମନ୍ତେ ବିଚଳିତ। ପରମ୍ ଜାନେ ମାତଃ ତ୍ଵଦନୁ ଶରଣମ୍ କ୍ଳେଶ ହରଣମ୍, ନ୍ୟାୟରେ ପ୍ରାରମ୍ଭ କରିବା ଆମ୍ଭର ପ୍ରଥମ ପ୍ରବନ୍ଧ।
ଉତ୍କଳେ ଦୁର୍ଗୋତ୍ସବ ସଭିଙ୍କୁ ଏକ ଉତ୍କୃଷ୍ଟ ମାଳଞ୍ଚ ର ପୁଷ୍ପ ସଦୃଶ ଏକାଧାରରେ ଏକତ୍ରିତ କରି ଶକ୍ତିଙ୍କ ଉପାସନା ଅଭିମୁଖେ ଏକତା ରଜ୍ଜୁ ରେ ଆବଦ୍ଧ କରିଆଣି ଥାଏ। କୋଳାହଳ ପୂର୍ଣ୍ଣ ଶାରଦୀୟ ଦୁର୍ଗାପୂଜା ରୁ ଖୁବ୍ ଦୂରରେ ଏକ ଭିନ୍ନ ଢ଼ଙ୍ଗରେ ଶକ୍ତି ଆରାଧନା ର କେନ୍ଦ୍ର ହୁଏ ରାଜରାଜେଶ୍ଵରୀ ମା ବିମଳା ଙ୍କ ନୀଳାଦ୍ରିକଟକ। ଏକ ପକ୍ଷରେ ମା ବିମଳା ଙ୍କ ଷୋଡ଼ଶ ଦିନାତ୍ମକ ପୂଜା ତ ଅନ୍ୟପକ୍ଷେ ମାଆଙ୍କୁ କେନ୍ଦ୍ର କରି ମହାଆଡ଼ମ୍ବରରେ ପାଳିତ ହୁଏ ଏକ ଅଦ୍ଵିତୀୟ ମୃଣ୍ମୟୀ ମୂର୍ତ୍ତି ପୂଜା।
ସ୍ଥାନ- ବୈତାଳ ଦେଉଳ
ଏକାଦଶ ଶତାବ୍ଦୀରେ ଗଙ୍ଗବଂଶୀୟ ରାଜା ଚୋଡ଼ଗଙ୍ଗ ଦେବ ଙ୍କ ଅନୁଗ୍ରହ କ୍ରମେ ଏହି ପୂଜାଟିର ଭିତ୍ତି ସ୍ଥାପନା କରାଯାଇଥିଲା। ରାଜା ସ୍ଵୟଂ ଥିଲେ ଜଣେ ସିଦ୍ଧ ତନ୍ତ୍ର ଉପାସକ। ଏତତ୍ ପରେ ବିଗତ ଅନେକ ଶତାବ୍ଦୀ ରୁ ପ୍ରଚଳିତ ଏହି ଯାତ ଅବିରତ ଭାବେ ନିଜସ୍ଵ ସ୍ୱତନ୍ତ୍ରତା କୁ ବଜାଇ ରଖିଆସିଛି। ଏହି ଯାତ୍ରା, ଦୁର୍ଗାପୂଜାର ଏକ ସର୍ବସ୍ୱତନ୍ତ୍ର ପୂଜାପଦ୍ଧତି, ଦେବୀଙ୍କ ମହିଷାସୁର ସହ ଯୁଦ୍ଧରେ ବିଜୟ ଏବଂ ମତୃରୁପି ରକ୍ଷାକାରୀ ରୂପର ବାର୍ତ୍ତାବହ ଏହି ଯାତ୍ରାରେ ମହିଷାସୁରମର୍ଦ୍ଦିନୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକ ତାଙ୍କର ମାତୃତ୍ୱ ଓ ଅସୁରବିଜୟ ର ଚିତ୍ରଣ କରିଥାଏ। ଏହି ପୂଜା ବୈଦିକ ତଥା ତାନ୍ତ୍ରିକ ପ୍ରକ୍ରିୟାଦ୍ୱୟ ର ମିଶ୍ରଣ ର ଏକ ଫଳ ସ୍ୱରୂପ। ଏହି ପରମ୍ପରା ଟି ଜଗନ୍ନାଥ ମନ୍ଦିର ପରି ପ୍ରାଚୀନ ତଥା ତାହାର ସମସାମୟିକ।
ଏହି ପ୍ରାଚୀନ ପୂଜା ରେ ମା’ଙ୍କ ମୂର୍ତ୍ତି ଗୁଡ଼ିକ ନଡ଼ା/ଛଣ ଓ ଚିକିଟା ମାଟି ର ମିଳନ ରେ ନିର୍ମିତ ତଥା ପ୍ରାକୃତିକ ରଙ୍ଗରେ ରଙ୍ଗାୟିତ। ଅନ୍ୟ ମୂର୍ତ୍ତିପୂଜା ପାଇଁ ନିର୍ମିତ ମୂର୍ତ୍ତି ମାନଙ୍କ ଠାରୁ ଭିନ୍ନ ଏହି ମୂର୍ତ୍ତି ଗୁଡ଼ିକ ପତଳା ଓ ସୂକ୍ଷ୍ମ ଗଠନ ବିପରୀତେ ସଶକ୍ତ, ସୁଦୃଢ଼ ଓ ଗୋଲାକାର ହୋଇ ଥାଆନ୍ତି। ମୂର୍ତ୍ତିକୁ ରଙ୍ଗ ମାଖି ସାରିବା ପରେ ମୂର୍ତ୍ତିକାର ଗୋଷାଣୀଙ୍କ ବକ୍ଷରେ ଗୋଟିଏ “ଦେବୀ ଯନ୍ତ୍ର” ଆଙ୍କି, ତାକୁ ନୂତନ ବସ୍ତ୍ରରେ ଘୋଡାଇ ଦିଅନ୍ତି। ମାଆ କୋଉଠି ଦଶଭୁଜା ତ ଅନ୍ୟ କେଉଁଠି ଅଷ୍ଟଭୂଜା। ଗୋଷାଣୀ ଗୁଡ଼ିକ ରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ଉତ୍କଳୀୟ ଆତ୍ମୀୟତା, ସଂସ୍କୃତି ଓ ଭାଷାଭାବ କୁ ସୂଚାରୁ ରୂପେ ଚିତ୍ରିତ କରାଯାଇଥାଏ। ମାଆ ସ୍ଵତଃପ୍ରବୃତ ରୂପେ ଜଣେ ଓଡ଼ିଆଣୀ ମାଆ ଙ୍କ ପରି ଦୃଶ୍ୟମାନ ହୋଇଥାନ୍ତି। ମୁକୁଟ ଏବଂ ଗହଣାଗଣ୍ଠି ପାଇଁ ସୋଲ ଏବଂ ଜରି କାମ ବ୍ୟବହାର କରାଯାଏ। ପଟ୍ଟଚିତ୍ର, ଓଡ଼ିଆ ଆଭୂଷଣ ଓ ଲୋକବାଣୀ ରେ ମାଆ ଙ୍କ ଭିତ୍ତି ରଖିଥାଆନ୍ତି ନିପୁଣ କଳାକାର ମାନେ। ମାଆ କ୍ରୋଧାଗ୍ନି ପୂର୍ଣ୍ଣ କଟାକ୍ଷ ଚାହାଣି ରେ ମହିଷାସୁର କୁ ଚାହିଁ ରହି ଅସୁର ର ବିନାଶ କରିଥାଆନ୍ତି। ମହିଷାସୁର ମଧ୍ୟ ବିକଟାଳ ରୂପେ ଦୃଶ୍ୟମାନ ହୋଇ ଥାଏ। ବିଶ୍ୱରେ ବିରଳ ସେ ଚିତ୍ର, ଅର୍ଦ୍ଧମନୁଷ୍ୟ ତ ଅର୍ଦ୍ଧଦୈତ୍ୟ ଅର୍ଥାତ୍ ମହିଷାସୁର ର ମସ୍ତକ ମଇଁଷି ର ଥିବା ବେଳେ ଶରୀର ମନୁଷ୍ୟର। ମନୁଷ୍ୟରୂପୀ ଦୈତ୍ୟ ର ବିନାଶ ସାଧନ୍ତି ମା ମହାଶକ୍ତି।
ଏହି ଭିନ୍ନ ଯାତ୍ରା ଯେତେବେଶି ଦୃଢ଼ ଓ ଗଭୀର ଚିନ୍ତାଧାରା ର ବାର୍ତ୍ତାବହ ଠିକ୍ ସେତିକି ଗଭୀର ଚିନ୍ତା ତାର ନାମକରଣରେ ମଧ୍ୟ ପରିଲକ୍ଷିତ ହୋଇଥାଏ। କେହି 'ଗୋଷାଣୀ' କୁ ଗୋସେଇଁ ମାଁ (ଜେଜେମା), ଗୋସେଇଁ (ବ୍ରାହ୍ମଣ)ଙ୍କ ପତ୍ନୀ ତ ଅନ୍ୟ କେହି 'ଗୋସାଣୀ' ନାମକରଣ ପଛରେ ଥିବା ମୂଳଶବ୍ଦ ଗୋ-ସ୍ଵାମୀନୀ ଅର୍ଥାତ୍ ଜଣେ ଉଚ୍ଚବର୍ଗ ର ନାରୀ କୁ ବିବେଚିତ କରୁଥିବା ବେଳେ ଅନ୍ୟ କେହି ଏତତ୍ ସହ ଜଡ଼ିତ ସ୍ୱତନ୍ତ୍ର ମନୋଭାବ କୁ ପରିଲକ୍ଷିତ କରିଥାଆନ୍ତି। ମାଆ ଗୋପାଳ, ବୃଷଭପତି ଉଭୟଙ୍କ ସହ ଜଡ଼ିତ ହେଲେ ମଧ୍ୟ ସ୍ଵତନ୍ତ୍ରା, ସେ ହିଁ ସ୍ୱାମିନୀ, ସେ ହିଁ ଜଗଜ୍ଜନନୀ ମହାମାୟା ସର୍ବେସର୍ବା। ସେ ଉଭୟ ମହାଲକ୍ଷ୍ମୀ ତଥା ମହାସରସ୍ଵତୀଙ୍କ ଠାରୁ ଭିନ୍ନ ନହୋଇ ତ୍ରିଶକ୍ତିଙ୍କ ଏକାଧାରରେ ପ୍ରତିନିଧିତ୍ଵ କରିଥାଆନ୍ତି। ସେ କେବଳ ମହାଦେବ ଙ୍କ ଶକ୍ତି ରୂପେ ନୁହେଁ ବରଂ ସମଗ୍ର ସୃଷ୍ଟି, ବିନାଶ ତଥା ପାଳନ ର ନିୟନ୍ତ୍ରଣକାରିଣୀ ରୂପେ ପୂଜିତା। ଅନ୍ୟ ଜାଗା ମାନଙ୍କରେ ମା, ମାକାଳୀଙ୍କ କଳ୍ପରେ ପୂଜିତା ଥିବା ବେଳେ ଉତ୍କଳେ ମା ସର୍ବସ୍ଵତନ୍ତ୍ରା କାତ୍ୟାୟନୀ କଳ୍ପେ ପୂଜିତା। ଓଡ଼ିଆଣୀ ମା ଭିନ୍ନ ଭିନ୍ନ ଆଞ୍ଚଳିକ କାହାଣୀ କୁ ଚିତ୍ରିତ କରି ଭକ୍ତ ରୂପୀ ସନ୍ତାନ କୁ ଆଶିଷ ପ୍ରଦାନ କରିଥାଆନ୍ତି।
ପୁରୀର ପ୍ରାଚୀନ ସାହି ମାନଙ୍କରେ ମା ଭିନ୍ନ ଭିନ୍ନ ନାମରେ ତଥା ଭିନ୍ନ ରୂପେ ବିଜେ କରିଥାଆନ୍ତି। ପୁରୀର ପ୍ରମୁଖ ଗୋଷାଣୀମାନଙ୍କ ମଧ୍ୟରେ ବିଭିନ୍ନ ସାହିର ଯଥା; ବାରବାଟୀ, ଜହ୍ନିଖାଇ, ହାଡ଼ବାଇ, ପଣାପ୍ରିୟା, ଗେଲବାଇ, ବନଦୁର୍ଗା, ଶୂନ୍ୟ ଗୋଷାଣୀ, ମହତେଶ୍ୱରୀ, ଚାମୁଣ୍ଡାମୁଣ୍ଡି, ଶୀତଳପିଣ୍ଡା, ଚକ୍ରକୋଟ, ଜମକୋଟ, ହରଚଣ୍ଡୀ ଅନ୍ୟତମ।
ମା' କକୁଡ଼ିଖାଇ ଗୋଷାଣୀ
ମା' ଜହ୍ନିମୁଣ୍ଡିଆ ଗୋଷାଣୀ
ମା' ହରଚଣ୍ଡୀ ଗୋଷାଣୀ
ମା'ଗେଲବାଇ ଗୋଷାଣୀ
ମା' ବାରବାଟୀ ଗୋଷାଣୀ
ମା' ହାଡ଼ବାଇଗୋଷାଣୀ
ମା' ଶୂନ୍ୟ ଗୋଷାଣୀ
ମା' ବନଦୁର୍ଗା ଗୋଷାଣୀ
ମାଆ ବିମଳା ଙ୍କ ପ୍ରତିନିଧି ରୂପେ ବାଲିସାହିରେ ମା ଦଶଭୁଜା କାକୁଡ଼ିଖାଇ ମୁଖ୍ୟ ଗୋସାଣୀ ରୂପେ ବିବେଚିତା। ସମସ୍ତ ହସ୍ତରେ ଅସ୍ତ୍ରଶସ୍ତ୍ର ଧାରଣ କରିଥିବା ବେଳେ ଦେବୀ ଏକ ହସ୍ତ ରେ ଧାରଣ କରିଥାନ୍ତି ମହିଷାସୁର ର କେଶ। ବାମ ପଦ ମହିଷାସୁର ଉପରେ ଥିବା ବେଳେ ଅନ୍ୟ ପାଦଟି ବାହନ ସିଂହ ଉପରେ ରହିଥାଏ। ଏତତ୍ ସହ ମା ସୃଷ୍ଟି, ସ୍ଥିତି ତଥା ବିନାଶ ର ପ୍ରତିନିଧିତ୍ଵ କରନ୍ତି।
ଦୋଳମଣ୍ଡପ ସାହିର ‘ଜହ୍ନିମୁଣ୍ଡିଆ ଗୋଷାଣୀ’ଙ୍କ ସ୍ଥାନ କାକୁଡିଖାଇଙ୍କ ପରେ, ସେ ମଧ୍ୟ ଦଶଭୂଜା। ସେ ପୁରୀର ସବୁ ଗୋସାଣୀ ମୂର୍ତ୍ତିଙ୍କ ମଧ୍ୟରେ ଦ୍ଵିତୀୟ ବୃହତ୍ତମ, ଉଚ୍ଚତା ୧୬ ଫୁଟ ୧୬ ଇଞ୍ଚ। ବାଲିସାହି, ଗୌଡବାଡ ସାହି ଏବଂ ମାର୍କଣ୍ଡେଶ୍ଵର ସାହିରେ ତାଙ୍କୁ ‘ଜହ୍ନିଖାଇ ଗୋଷାଣୀ’ ବୋଲି କୁହାଯାଏ। ସର୍ବ ପୁରାତନ ଏବଂ ସର୍ବୋଚ୍ଚ ଗୋଷାଣୀଙ୍କ ନାଁ ହେଉଛି ‘ବାରବାଟି ଗୋଷାଣୀ’। ତାଙ୍କ ମୂର୍ତ୍ତି ୨୦ ଫୁଟର ହୋଇଥିବା ବେଳେ ସେ ଅଷ୍ଟଭୁଜା ରୂପରେ ପୂଜା ପାଆନ୍ତି। 'ଶୂନ୍ୟ ଗୋଷାଣୀ' ରୂପେ ଦେବୀ ବ୍ୟୋମ ରେ ମହିଷାସୁର ର ବଦ୍ଧ କରୁଥିବାର ଦୃଶ୍ୟମାନ ହୋଇଥାଆନ୍ତି। ମୂର୍ତ୍ତିର ତଳ ଅ°ଶରେ ପର୍ବତ, ବୃକ୍ଷ, ନଦୀ, ପଶୁ ଆଦି ଭୂତଳରେ ସଚରାଚର ଜୀବ ଦେଖାଯାଇଥାନ୍ତି। 'କଣ୍ଟାକାଢ଼ି ଗୋଷାଣୀ' ବନଦୂର୍ଗା ଙ୍କ ପ୍ରତିନିଧତ୍ଵ କରୁଥିବାବେଳେ ମହିଷାସୁର ର ବଦ୍ଧ କରୁଥିବାର ପରିଲକ୍ଷିତ ହୋଇନଥାନ୍ତି। ଏହି ରୂପରେ ଦେବୀ ଅଷ୍ଟଭୂଜା ଏବଂ ଗୋଟିଏ ଗୋଡ଼ରେ ଛିଡ଼ା ହୋଇଥାନ୍ତି। ତାଙ୍କ ଅନ୍ୟ ଗୋଡ଼କୁ ସ୍ୱୟଂ ମାଧବ ଧାରଣ କରି ସେଥିରେ ଫୋଡ଼ି ହୋଇଯାଇଥିବା କଣ୍ଟାକୁ ବାହାର କରୁଥାନ୍ତି ଏବଂ ଏହା ମହାଦେବ ଙ୍କ ସାନ୍ନିଧ୍ୟ ରେ ହେଉଥିବାର ଦୃଶ୍ୟମାନ ହୋଇଥାଏ। ଏହି ମୂର୍ତ୍ତି ମାଧ୍ୟମରେ ବୈଷ୍ଣବ, ଶୈବ ଏବଂ ଶାକ୍ତଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ଏବଂ ଉପସ୍ଥିତି ଦର୍ଶାଯାଇଥାଏ। ଭୋଗଜାଗା ଆଖଡାରେ ପୂଜା ପାଉଥିବା ‘ଭୋଗଜାଗା ଗୋଷାଣୀ’ ଙ୍କ ପୂଜା ଭୋଇ ରାଜା ଗଜପତି ରାମଚନ୍ଦ୍ର ଦେବଙ୍କ ସମୟରେ ଆରମ୍ଭ ହୋଇଥିଲା। ଏହାଙ୍କ ଛଡ଼ା ପାନପ୍ରିୟା, ହାଡ଼ବାଇ, ଗେଲବାଇ ଓ ବେଲବାଇ ଗୋସାଣୀ ପୁରୀର ବିଭିନ୍ନ ସାହିରେ ମେଢରେ ପୂଜା ପାଆନ୍ତି।
ଏହି ନାମଗୁଡ଼ିକୁ ଭଲଭାବେ ପରଖି ଦେଖିଲେ ଉପଲବ୍ଧି କରିହେବ ଯେ ଏହି ନାଁ ଗୁଡ଼ିକ ଅତି ଆପଣାର, ଏହି ମାଟିର, ଆମ ଗାଁ-ସାହି ମାନଙ୍କରୁ ଜନ୍ମିତ। ଉତ୍କଳୀୟ ନିଜସ୍ଵ ସ୍ୱତନ୍ତ୍ର ଭାଷାଭାବ, ଚଳଣି, ସ୍ଥାନୀୟ ପ୍ରଥା, ପରମ୍ପରା ଓ ଲୋକ କଳା ପରିଲକ୍ଷିତ ହୁଏ ଏହି ପୂଜାଟିରୁ।
ଆଦି ଶଙ୍କରାଚାର୍ଯ୍ୟ ଙ୍କ ସମୟରୁ ନାଗା କେବେ ବୌଦ୍ଧ ଧର୍ମ ପ୍ରଚାରକ ତ ଅନ୍ୟ କେବେ ଯବନ ଆକ୍ରମଣକାରୀ ଙ୍କ ଠାରୁ ସୁରକ୍ଷା ଦେବାପାଇଁ ଆତ୍ମଦାହ ଦେଇ ଏହି ଜାତି ର ରକ୍ଷା କରିଥିବା କାରଣରୁ, ସେ ପୌରୁଷ ର ପ୍ରତିନିଧି ରୂପେ ଗୋସାଣୀ ଯାତ୍ରା ରେ ପୂଜିତ। ଏହା ସହ ସେ ପୁରୀ ର ଜାଗା ଓ କୁସ୍ତି ପରମ୍ପରା ବିଷୟରେ ମଧ୍ୟ ଜୀବନ୍ତ ଉଦାହରଣ ପ୍ରଦାନ କରିଥାଆନ୍ତି।
ପାର୍ବଣରେ ଉଭୟ ବୈଦିକ ତଥା ତାନ୍ତ୍ରିକ ପୂଜା ପଦ୍ଧତିରେ ପୂଜା ପ୍ରାପ୍ତ କରି ମା’ ପୁନଶ୍ଚ ଲେଉଟି ଯାଆନ୍ତି ପ୍ରକୃତି ର ବକ୍ଷକୁ। ପାର୍ବଣ ଶେଷରେ, ଦଶହରା ର ପରବର୍ତ୍ତୀ ଦିନରେ ବିସର୍ଜନ ପୂର୍ବରୁ ପୁରୀରେ ଗୋଷାଣୀଙ୍କର ଶୋଭାଯାତ୍ରା ବାହାରେ। ଏହି ଶୋଭାଯାତ୍ରାରେ ଗୋଷାଣୀଙ୍କ ସହ ମହାଦେବ, ନାଗାର୍ଜୁନ, ନାଗା ସିଦ୍ଧ ବାବା, ସମ୍ପାତ୍ତି (ଜଟାୟୁଙ୍କ ବଡ ଭାଇ) ଓ ଅନ୍ୟାନ୍ୟ ମେଢ଼ମାନ ଯୋଗଦାନ କରିଥାଆନ୍ତି। ଏହି ବିଶାଳ ପଟୁଆର ଶ୍ରୀମନ୍ଦିର ପରିକ୍ରମା ପରେ ଶେଷରେ ସି°ହଦ୍ୱାର ସମ୍ମୁଖରେ ଶାନ୍ତ ହୋଇ ଏକାଠି ହୁଅନ୍ତି ଓ ଦେବସଭା ରେ କିଛି କ୍ଷଣ ବ୍ୟତୀତ କରିବା ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପ୍ରାପ୍ତକରି ବିସର୍ଜନ ନିମନ୍ତେ ମହୋଦଧି କିମ୍ବା ଅନ୍ୟ ନଦୀ ମାନଙ୍କ ଅଭିମୁଖେ ଯାତ୍ରା ଆରମ୍ଭ କରିଥାଆନ୍ତି।
ବିସର୍ଜନ ପୂର୍ବରୁ ଗୋଷାଣୀଙ୍କର ଶୋଭାଯାତ୍ରା
ଉତ୍କୃଷ୍ଟ ଉତ୍କଳ ର ଚାରୁ କଳାମୟ ଦୀର୍ଘ ଓ ସୁପ୍ରସସ୍ଥ ଇତିହାସ ର ଗନ୍ତାଘରେ ସଦାସର୍ବଦା ପରିଲକ୍ଷିତ ହେଉଥିବ ଏହି ପାର୍ବଣ, ବାହ୍ୟ ଜଗତରୁ ବିଭିନ୍ନ ସମୟରେ ଅନେକ ସଭ୍ୟତା ଓ ସଂସ୍କୃତିର ଆବଣ୍ଟନ ସତ୍ତ୍ୱେ ନିଜସ୍ଵ ବଜାଇ ରଖିବାରେ ସାଫଲ୍ୟ ହିଁ ଏହାର ଉପଲବ୍ଧି।
ପ୍ରଥମ ଦୁର୍ଗୋତ୍ସବ ଯେ ଉତ୍କଳ ଭୁବନେ ଆବିର୍ଭୁତ, ପ୍ରାୟୋଜିତ, ପରିଲକ୍ଷିତ ତଥା ପ୍ରଚଳିତ ସେଥିରେ ସନ୍ଦେହ ନାସ୍ତି। ଉତ୍କଳ କେବେହେଲେ ମାନ୍ୟତା ନିମନ୍ତେ ଉତ୍କ୍ଷିପ୍ତ ହୋଇନାହିଁ ବରଂ କର୍ତ୍ତବ୍ୟବଦ୍ଧ ରହି ଚାରୁକଳାମୟ ଅଦ୍ୱିତୀୟ ସ୍ପର୍ଦ୍ଧାପୂର୍ଣ୍ଣ ଇତିହାସ କୁ ଜୀବନ୍ତ ରଖିଆସିଛି। ଆମ କ୍ଷୁଦ୍ର ପ୍ରୟାସ ର ଏହାହିଁ ଲକ୍ଷ, ଅନ୍ୟ କାହାକୁ ତୁଚ୍ଛ ନୁହେଁ ବରଂ ସ୍ଵୟଂ କୁ ଉନ୍ନତ କରିବା, ନିଜ ପରମ୍ପରା ସହ ଜଡ଼ିତ ରହିବା ଓ ସୃଷ୍ଟି କରିବା ନୂତନ ଏକ ଦିଗବଳୟ।
~ Hariomm Pati & Srishti Tripathy