ନମସ୍ତେ କମଳା ମାଗୋ ସାଗର ଦୁଲଣି..
ନାରୀ ନିଶ୍ଚୟ ନାରାୟଣୀ, ହେଲେ ନାରାୟଣୀ କଣ ଜଣେ ସାଧାରଣ ନାରୀ?
ନାରୀ କେବେ ହେଲେ ସାଧାରଣ ହୋଇନପାରେ, ସେ ଅସାଧାରଣ, ଅଦୃଶ୍ୟ ଶକ୍ତି ର ଅଧିକାରୀ, ସୃଷ୍ଟି, ସ୍ଥିତି ଓ ବିନାଶ ର ଉତ୍ତରଦାୟୀ। ଠିକ୍ ସେଇଥିପାଇଁ ଉତ୍କଳୀୟ ଭାଷାଭାବ, ସଂସ୍କୃତି ଓ ଜୀବନ ଜୀବିକା ର ପ୍ରାଣବିନ୍ଦୁ ମା', ସେହି ମା' ଯେ କେବେ କମଳା ତ କେବେ ବିମଳା। ତାଙ୍କୁ କେନ୍ଦ୍ର କରି ଉତ୍କଳ ସନ୍ତାନ ଜୀବନ ଧାରଣ କରେ, ଶିକ୍ଷା ଆହରଣ କରେ ତ ପୁଣି କେବେ ନିଜସ୍ଵ ଦୁଃଖ-ସଂତାପକୁ ମାଙ୍କ ଠାରେ ପ୍ରକଟ କରେ ଓ ଆଶ୍ରା ଲୋଡ଼େ।
କେବେ ପରମ୍ପରା ର ଧାତ୍ରୀ ତ କେବେ ପରିବର୍ତ୍ତନ ର ଶଙ୍ଖନାଦକାରୀ। କେବେ କବି ଙ୍କ କାବ୍ୟ ରେ ତ କେବେ ବାସ୍ତବ ଜୀବନରେ ନାରୀ ହିଁ ସାଜେ ପରିବର୍ତ୍ତନ ର କର୍ଣ୍ଣଧାର। ଏହି ଧାରା ରେ ଆମ୍ଭ ଆଲୋଚନା ର କେନ୍ଦ୍ର ମଧ୍ୟ ସ୍ଵୟଂ ନାରୀ ରୂପୀ ମା ନାରାୟଣୀ ଓ କବି ହେଲେ ବଳରାମ ଦାସ, ତାଙ୍କୁ ମାନବ ଜାତି ର ସର୍ବପ୍ରଥମ ନାରୀବାଦି ଙ୍କ ମଧ୍ୟରେ ଗଣିଲେ ଅତ୍ୟୁକ୍ତି ହେବ ନାହିଁ। ସେ ଥିଲେ ପଞ୍ଚସଖାଙ୍କ ମଧ୍ୟରେ ଜ୍ୟେଷ୍ଠ ଓ ତାଙ୍କ ସହ ନେତୃତ୍ଵ ବହନ କରିଥଲେ ଆମ୍ଭ ଭାଷାରେ ଏକ ଅବିସ୍ମରଣୀୟ ଅଧ୍ୟାୟ ର, ଯାହା ଓଡ଼ିଆ କୁ ଓଡ଼ିଆ ରୂପେ ଓ ଉତ୍କଳ ସନ୍ତାନକୁ ନିଜସ୍ଵ ସ୍ଵାଧୀନ ପରିଚୟ ପ୍ରଦାନ କରିଥିଲା।
୧୫ ରୁ ୧୬ ଶତାବ୍ଦୀ ମଧ୍ୟରେ ତାଙ୍କ ରଚିତ ଲକ୍ଷ୍ମୀପୁରାଣ ଯେ କେବଳ ଭକ୍ତିପୂତ ପୂଜ୍ୟ ଗ୍ରନ୍ଥ ଟିଏ ନୁହେଁ ବରଂ ଏକ ସାମାଜିକ କିମ୍ବଦନ୍ତୀ, ଏକ ସୁରଭିତ ସଂସ୍କାର। କବ୍ୟରସରେ ରଚିତ ଭକ୍ତିଭାବପୂର୍ଣ୍ଣ, ସମାଜ ସୁଧାରକ ଏହି ଗ୍ରନ୍ଥଟି ପ୍ରତି ଓଡ଼ିଆ ଘରେ ଉପସ୍ଥିତ, ପ୍ରତି ମାର୍ଗଶିର ଗୁରୁବାରେ ପଠିତ ଓ ପୂଜିତ।
ମା ଯେ ସଭିଙ୍କର, ସଭିଏଁ ତାର। ଛୋଟ ସ୍ଥାବର, ଜଙ୍ଗମ, କୀଟ ରୁ ମନୁଷ୍ୟ ଯାଏଁ ସଭିଏଁ ତାର କୃପାବଳେ ଜାତ ଓ ଜୀବିତ। ତାର କୃପା ରୁ ହିଁ ଏହି ସୃଷ୍ଟି ସୂଚାରୁ। ସେଇଥିପାଇଁ ତ ଶ୍ରୀ ଙ୍କୁ କେନ୍ଦ୍ର କରି ପୁରୀ, ଶ୍ରୀକ୍ଷେତ୍ର ଓ ବଡ଼ ଦେଉଳ, ଶ୍ରୀମନ୍ଦିର ରୂପେ ବିବେଚିତ। ହେଲେ ପୁଣି ଶ୍ରୀକ୍ଷେତ୍ର ଶ୍ରୀହୀନ ହୋଇଥିବ ତାହା ଆମ୍ଭ କଳ୍ପନାତିତ। କିନ୍ତୁ ଏହା ଘଟିତ ଓ ଏହା କୁ କେନ୍ଦ୍ର କରି ରଚିତ ଲକ୍ଷ୍ମୀପୁରାଣ।
ମା ଯେ ଦାରିଦ୍ର୍ୟଭଞ୍ଜନି, ଜାତିପ୍ରଥା ସେ ଜାଣେନା, ଜଣେ ତ କେବଳ ଭକ୍ତ ର ଭକ୍ତି। ସେହି ଭକ୍ତି ବଳେ ସେ ଉଭା ହୁଏ ଚଣ୍ଡାଳ ସାହିରେ ପୁଣି ଏକ ଚଣ୍ଡାଳୁଣୀ ଘରେ, ତାକୁ ମୂହୁର୍ତ୍ତକେ ବରଦାନ କରି ଐଶ୍ୱର୍ଯ୍ୟମଣ୍ଡିତ କରେ, ହେଲେ ଜାତିପ୍ରଥା ରେ ବିଭାଜିତ ସମାଜରେ ଏହା ଏକ ମହାପାପ, ଯାହାର କ୍ଷମା ସ୍ଵୟଂ ଲକ୍ଷ୍ମୀ ସାଆନ୍ତାଣୀ ଙ୍କୁ ମିଳିନଥାଏ। କାହାଣୀ ଅନୁକ୍ରମେ ଏହି ଘଟଣା ଟି ବଳରାମ ଙ୍କ ଦୃଷ୍ଟିଗୋଚର ହେତୁ ସେ ଜଗନ୍ନାଥଙ୍କୁ ଧିକ୍କାରୀ ମାଆଙ୍କୁ ଦେଉଳ ରୁ ତଡ଼ି ଦେବା ନିମନ୍ତେ ଆଦେଶ ଦିଅନ୍ତି ଓ ଜଗନ୍ନାଥ ଭାତୃଅଜ୍ଞାର ପାଳନ କରନ୍ତି, ହେଲେ ମହାଲକ୍ଷ୍ମୀ ଧିକ୍କାର ସହି ନ ପାରି ଦେଉଳ ପରିତ୍ୟାଗ କରନ୍ତି କିନ୍ତୁ ମହାପ୍ରଭୁଙ୍କୁ ଅଭିଶାପ ଦେଇ, ଅଭିଶାପକୁ ପ୍ରତିଫଳିତ କରି ତାଙ୍କୁ ଉଚିତ୍ ଶିକ୍ଷା ପ୍ରଦାନ କରନ୍ତି।
ପଟ୍ଟଚିତ୍ର (ଓମ୍ ପ୍ରକାଶ ଜେନା )
କାହାଣୀ ଟି ଅତ୍ୟନ୍ତ ସରଳ ଓ କ୍ଷୁଦ୍ର, ହେଲେ ତାର ତର୍ଜମା କଲେ ଜଣାପଡ଼େ ଯେ ପ୍ରତିଟି ଧାଡ଼ି ସମାଜ ସୁଧାର ନିମନ୍ତେ ଉଦ୍ଧିଷ୍ଟ। ପୁରାଣ ର ପ୍ରାରମ୍ଭରୁ ହିଁ ମହାମୁନି ନାରଦ ଓ ପରୀକ୍ଷିତ ଙ୍କ ବାର୍ତ୍ତାଳାପ, ଓ ଉତ୍କଳ ର ଇଷ୍ଟଙ୍କ ସହ ଏହାକୁ ଜଡ଼ିତ କରିବାର ଉଦ୍ଦେଶ୍ୟ କାହାଣୀ ଟିକୁ ଜନମାନସ ପକ୍ଷେ ଗ୍ରହଣୀୟ କରିବା ଓ ତାହା ଦ୍ଵାରା ସମାଜ-ସଂସ୍କାର ପ୍ରତି ଅଗ୍ରସର ହେବା। ପୁରାଣର ସୂକ୍ଷ୍ମ ଅଧ୍ୟୟନ କଲେ ଜଣାପଡ଼େ ଯେ କିପରି ଏହା ସବୁକ୍ଷେତ୍ରରେ ଜାତି ପ୍ରଥା ଓ ସମାଜରେ ନାରୀଙ୍କ ସ୍ଥିତି କୁ ଗ୍ଲାନିହିନ ରୂପେ ଚିତ୍ରିତ କରିଅଛି। ଯାହା ଯେପରି, ତାକୁ ବିନା କିଛି ସଙ୍କୋଚରେ ପ୍ରତିବିମ୍ବିତ କରିଅଛି।
ଯଥା:
" ଦେଖ ଦେଖ କହ୍ନାଇ ତୋ ଭାରିଜା ଆଚାର।
ଉଭା ହୋଇ ଅଛନ୍ତି ଯେ ଚଣ୍ଡାଳୁଣୀ ଘର।୧୪୫।
ହାଡ଼ି ଘରେ ଥିବ, ଲକ୍ଷ୍ମୀ ପାଣ ଘରେ ଥିବ ।
ସ୍ନାନ ନ କରିଣ ବଡ଼ ଦେଉଳେ ପଶିବ ।୧୪୬।
ଏହି ରୁପେ ସବୁଦିନେ ଦେଉଳେ ପଶୁଛି ।
ଦୁଇଗୋଟି ଭାଇଙ୍କୁ ବିଟାଳ କରାଉଛି ।"
ଉପରୋକ୍ତ ଧାଡ଼ି ଗୁଡ଼ିକ ସମାଜରେ ପର୍ଯ୍ୟବେସିତ ଜାତି ପ୍ରଥା ର ସଶକ୍ତ ଅବସ୍ଥାନ ଉପରେ ଆଲୋକପାତ କରୁଛି।
ଠିକ୍ ସେହିପରି ନାରୀ ଙ୍କ ସ୍ଥାନ ଯେ ଅତ୍ୟନ୍ତ ଶୋଚନୀୟ ଥିଲା ତାହା ନିମ୍ନ ପଙ୍କ୍ତି ରୁ ସିଦ୍ଧ।
"ଭାରିଜା ଅଟଇ ସିନା ପାଦର ପାଣ୍ଡୋଇ ।
ଭାଇ ଥିଲେ କୋଟି ଭାର୍ଯ୍ୟା ମିଳି ଯେ ପାରଇ ।୧୫୮।"
ପାଠକଙ୍କ ପାଇଁ ହୁଏତ ଏହା କିଛି ସାଧାରଣ ଘଟଣାମାନ ହୋଇପାରେ, ହେଲେ ଲକ୍ଷ୍ମୀପୁରାଣ ଟି ଅସାଧାରଣ, କାରଣ ଏହା କେବଳ ସମାଜର କୁତ୍ସିତ ମୁଖମଣ୍ଡଳ ଉପରେ ଆଲୋକପାତ କରିନାହିଁ ବରଂ ସେହି କୁତ୍ସିତପଣ ର ମୂଳୋତ୍ପାଟନ କରିବା ନିମନ୍ତେ ଅଗ୍ରସର ହାଇ ଅଛି।
ମହାଲକ୍ଷ୍ମୀ ବଡ଼ଦେଉଳକୁ ପରିତ୍ୟାଗ କଲା ବେଳେ ସମସ୍ତ ଅଳଙ୍କାର ମହାପ୍ରଭୁଙ୍କୁ ସମର୍ପି ନିଜ ସହ ସ୍ୱାଭିମାନ ର ଗହଣା ଟି ପିନ୍ଧି ପିତୃଗୃହ ଅଭିମୁଖେ ଯାତ୍ରା ନକରି ସ୍ଵୟଂ ନିମନ୍ତେ ଉଆସ ନିର୍ମାଣ କରିଛନ୍ତି। ଏତତ୍ ସହ ମାଆଙ୍କୁ ଗହଣା କଢ଼ିବାର ଚିତ୍ରକୁ ଦାସେ ବର୍ଣ୍ଣନା କରି ପାଠକ ଙ୍କ ମଧ୍ୟେ ପୀଡ଼ା ଜାତ କରିଛନ୍ତି।
ପୁଣି ମାଙ୍କ ସେହି ମହାଅଭିଶାପ ଯାହା ବଳେ ସ୍ଵୟଂ ଜଗନ୍ନାଥ ଓ ବଳଭଦ୍ର ବାର ବର୍ଷ ଧରି ଭିକ୍ଷା ମାଗିବାକୁ ବାଧ୍ୟ ହୋଇଥିଲେ ଓ ମାଙ୍କ ଅଜ୍ଞା ଅନୁକ୍ରମେ କେବେ ବେତାଳ, କେବେ ମାତା ସାରଦା, ନିଦ୍ରଦେବୀ, କେବେ ଅଗ୍ନିଦେବ ତ କେବେ ପବନ ଦେବ ବିଭିନ୍ନ ରୂପେ ଅଭିଶାପ ର ପ୍ରତିଫଳନ ରେ ସହଯୋଗୀ ହେଲେ ଓ ପ୍ରଭୁଙ୍କୁ କ୍ଷୁବ୍ଧାରେ ପୀଡ଼ିତ କଲେ ତାହା ସମାଜ ପ୍ରତି ଶିକ୍ଷା ର ଦୃଷ୍ଟାନ୍ତଟିଏ ଥିଲା।
ଯାହାଦ୍ଵାରା ଦାସେ, ଦୋଷୀ, ନାରୀ ର ଅପମାନ କାରୀ ଓ ଜାତିପ୍ରଥା ପାଳନକାରୀ ଙ୍କୁ ଶକ୍ତ ଚେତାବନୀ ଟିଏ ଦେଇଛନ୍ତି, ଯେ ନର ହେଉ କିମ୍ବା ଭଗବାନ ସଭିଏଁ ମାଙ୍କ ନ୍ୟାୟ-ନିକିତି ରେ ସମାନ।
ମାଙ୍କ ଶବ୍ଦରେ
"ଯେବେ ପ୍ରଭୁ ଜଗନ୍ନାଥ ମୋତେ ନ ଖୋଜିବେ ।
ନାରୀଙ୍କୁ ପରୁଷମାନେ ଆଉ ନ ଲୋଡ଼ିବେ ।...
ମୋତେ ଘେନି ପ୍ରଭୁ ଯେବେ ନ କରିବେ ଘର ।
କଳିଯୁଗେ ନାରୀଙ୍କୁ ଯେ ନ ଖୋଜିବେ ନର"
ଏହାଦ୍ବାରା ଦାସେ ଆପଣା ବକ୍ଷେ ଥିବା ନାରୀବାଦ କୁ ସମାଜ ସୁଧାର ନିମନ୍ତେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ମା ବାରମ୍ବାର ନିଜକୁ ଚଣ୍ଡାଳୁଣୀ ନାମେ ସମ୍ବୋଧନ କରିଛନ୍ତି, ଓ କ୍ଷୁବ୍ଧା ରେ ପୀଡ଼ିତ ଭିକ୍ଷା ଅଭିଳାଷୀ ବେନି ଭାଇ ଙ୍କୁ ମଧ୍ୟ ଚେତାବନୀ ଦେଇ ନିଜକୁ ଚଣ୍ଡାଳୁଣୀ ବୋଲି କହିଛନ୍ତି, ହେଲେ ଶେଷରେ ସେହି ଚଣ୍ଡାଳୁଣୀଙ୍କ ଠାରୁ ପ୍ରଭୁ ଦୁହେଁ ଭୋଜନ ଲାଭ କରି ପ୍ରାଣରକ୍ଷା କରିଛନ୍ତି।
କାହାଣୀର ଅନ୍ତିମ ପରିଚ୍ଛେଦ ରେ ମାତା ପ୍ରଭୁଙ୍କ କ୍ଷମା ପ୍ରାର୍ଥନା କୁ ମନିନେବା ପାଇଁ ମଧ୍ୟ ଏକ ସର୍ତ୍ତ ରଖିଥିଲେ ଯାହାଥିଲା:
" ଜଗତମାତ କହିଲେ କର ତୁମ୍ଭେ ସତ୍ୟ ।୪୭୬।
ଚଣ୍ଡାଳୁ ବ୍ରାହ୍ମଣ ଯାଏ ଖୁଆଖୋଇ ହେବେ ।
ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ ।୪୭୭।
ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ ।
ବ୍ରାହ୍ମଣେ ଖାଇ ହସ୍ତକୁ ମୁଣ୍ଡରେ ପୋଛିବେ ।୪୭୮।
ଅନ୍ନ ଖାଇ ସର୍ବେ ମୁଣ୍ଡେ ପୋଛୁଥିବେ ହସ୍ତ ।
ତେବେ ବଡ଼ ଦେଉଳକୁ ଯିବି ଜଗନ୍ନାଥ ।୪୭୯।"
ଏହାଠାରୁ ଅଧିକ ବିସ୍ତୃତ ରୂପେ ଜାତିପ୍ରଥା ବିରୋଧରେ ଆନ୍ଦୋଳନ ଯେ ହୋଇନପାରେ ସେଠାରେ ସନ୍ଦେହ ନାସ୍ତି। ସଭିଙ୍କୁ ଏକ ଦୃଷ୍ଟିରେ, ନ୍ୟାୟ ଦୃଷ୍ଟିରେ ଦେଖି ମା କରିଯାଇଥିଲେ ମାନବବାଦି ଉତ୍କଳୀୟ ଚେତନାର ଶିଳାନ୍ୟାସ। କଳାମୟ କଳିଙ୍ଗର ଧମନୀ ରେ ସଦାସର୍ବଦା ପ୍ରବାହିତ ହେଉଥିବ ଏହି ସମାନତା ର ଶିକ୍ଷା, ଆବାଳବୃଦ୍ଧବନିତା ପାଠ କରୁଥିବେ ଏହି କାଳଜୟୀ କିମ୍ବଦନ୍ତୀ।
~ Hariomm Pati